Unknown

 

 

 

 

 

 

 

 

 

ଆତ୍ମଜୀବନୀ

ସ୍ୱଭାବକବି ଗଙ୍ଗାଧର ମେହେର

 

(୧୯୧୪)

(ସଂକ୍ଷିପ୍ତ)

 

ମୋର ଅତି ପ୍ରାଚୀନ ପୂର୍ବପୁରୁଷମାନେ ସମ୍ବଲପୁର ସହରରେ ବାସ କରୁଥିବାର କିମ୍ବଦନ୍ତୀ ଶୁଣିଥିଲି । ମୋର ପ୍ରପିତାମହ କେଶବ ମେହେର ବରପାଲିରେ ଥିଲେ । ତାଙ୍କର ପାଞ୍ଚ ପୁତ୍ର । ସେହି ଭାଇ-ଭାଇବିଶିଷ୍ଟ ପରିବାରକୁ ଲୋକେ ପାଞ୍ଚଭାୟା ଘର ବୋଲି ନାମ ଦେଇଥିଲେ । ତାଙ୍କ ଘର ନିକଟରେ ଗୋଟିଏ ଗୁଡ଼ୀ ବା ଭାଗବତ ମଣ୍ଡପ ଥାଇ ସାଧାରଣଙ୍କର ବୈଠକି ଓ ସାଧୁସନ୍ନ୍ୟାସୀଙ୍କ ସାମୟିକ ଅବସ୍ଥାନରୂପେ ବ୍ୟବହୃତ ହେଉଥିଲା । ସେହି ହେତୁରୁ ଲୋକେ ତାଙ୍କୁ ଗୁଡ଼ିତଳିଆ ଘର ମଧ୍ୟ ବୋଲୁଥିଲେ । ମୋର ପିତାମହ ସେହି ପାଞ୍ଚ ଭାଇର ସର୍ବକନିଷ୍ଠ । ତାଙ୍କର ନାମ ଥିଲା ସଦାଶିବ; କିନ୍ତୁ ପିତାମାତା ଓ ଅଗ୍ରଜମାନଙ୍କର ସସ୍ନେହ ଡାକିବା ଅନୁସାରେ ସୁରୁବାବୁ ନାମରେ ଅଭିହିତ ହେଉଥିଲେ । ବସ୍ତ୍ରବୟନ ତାଙ୍କର ମୁଖ୍ୟ କର୍ମ ଓ ବୈଦ୍ୟପଣ ଗୌଣକର୍ମ ଥିଲା । ଖଡ଼ି ଦେଖିବାରେ, ଜ୍ୟୋତିଷମତେ ଶୁଭାଶୁଭ ଦିନ-ବାର ଗଣନାରେ, ଯାତ୍ରାର ଦିକ୍‌ଶୂଳାଦି ନିର୍ଣ୍ଣୟ କରିବାରେ ମଧ୍ୟ ସେ ଅଭ୍ୟସ୍ତ ଥିଲେ । ସଦାଶିବଙ୍କର ଦୁଇପୁତ୍ର । ମୋର ପିତା ଚୈତନ୍ୟ ଜ୍ୟେଷ୍ଠ ଥିଲେ । ପୁତ୍ରଦ୍ୱୟ ସାଧାରଣ ଭାବରେ ବସ୍ତ୍ରବୟନାଦିଦ୍ୱାରା ପରିବାରପୋଷଣରେ ସମର୍ଥ ହେଲାରୁ ସଦାଶିବଙ୍କ ବସ୍ତ୍ରବୟନ କାର୍ଯ୍ୟ ବନ୍ଦ ହୋଇ ବୈଦ୍ୟ ବ୍ୟବସାୟ ମୁଖ୍ୟ ହେଲା । ଧାନ ଓ ଟଙ୍କା ଋଣ ଦେବାର, ଗୋଧନ ବୃଦ୍ଧି କରିବାର, ବଳଦ ବକା ଦେବାର ଭୁଲିଆମାନଙ୍କ ବ୍ୟବସାୟର ଗୋଟିଏ ପ୍ରଧାନ ଅଙ୍ଗ । ମୋର ପ୍ରପିତାମହଙ୍କର ସେହି ବ୍ୟବସାୟ ଉତ୍ତମରୂପେ ଚଳୁଥିଲା ବୋଲି ମୁଁ ଶୁଣିଅଛି । କେତେକ ନିଦର୍ଶନ ମଧ୍ୟ ଦେଖିଅଛି । ମୋର ପିତାମହଙ୍କ ସମୟରୁ ତାହା କ୍ରମଶଃ ହ୍ରାସ ହୋଇଆସିଲା । ମୋର ପିତା ପୈତୃକ ବିଦ୍ୟା ଓ ବ୍ୟବସାୟରେ ଅଭ୍ୟସ୍ତ ହେଲେ । ସନ ୧୮୬୨ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମା ଶନିବାରରେ ମୋର ଜନ୍ମ ହୁଏ । ମୋର ସ୍ମରଣ ହେଉଅଛି, ବାଲ୍ୟକାଳରେ ପିତାମହଙ୍କ ସଙ୍ଗେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକରି ପ୍ରତ୍ୟହ ଜଗନ୍ନାଥଦର୍ଶନ କରିଆସୁଥିଲି ଓ ପିତୃବ୍ୟଙ୍କ ସଙ୍ଗେ ସନ୍ଧ୍ୟା ସମୟରେ ଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନରେ ଯୋଗ ଦେଉଥିଲି । ପିତାମହୀ ଓ ମାତାଙ୍କଠାରୁ ଶୁଣିଅଛି ଯେ ଶୈଶବକାଳରେ ମଧ୍ୟ ମୁଁ ବଡ଼ ଧୀରସ୍ୱଭାବର ଥିଲି ଏବଂ ଗୋଟିଏ ଛୋଟ ମୃଦଙ୍ଗ ଧରି ସଂକୀର୍ତ୍ତନବାଲାଙ୍କ ସଙ୍ଗେ ନାଚିଥାଏଁ ।

 

ମୋର ଜନ୍ମର ପୂର୍ବରୁ ମୋର ପିତା ନିଜ ଗୃହରେ ଗୋଟିଏ ଚାଟଶାଳୀ କରି ଅନେକ ବାଳକଙ୍କୁ ପଢ଼ାଉଥିଲେ । ଚାଟଶାଳୀର ଶିକ୍ଷା – ଭାଗବତପାଠ, କିଛି କିଛି ଛାନ୍ଦଗ୍ରନ୍ଥ ଓ ପଚିଶଖନ୍ଦା ପଣକିଆରେ ଶେଷ ହେଉଥିଲା । ମୋର ବୟସ ୭/୮ ବର୍ଷ ହେଲାରୁ ଶିକ୍ଷା ନିମନ୍ତେ ଚାଟଶାଳୀରେ ଉପଗତ ହେଲି । ସେତେବେଳକୁ ପିତା ନିଜର ଚାଟଶାଳୀ ଭାଙ୍ଗି ଦେଇଥିଲେ । ସୁତରାଂ ଗୃହ ନିକଟସ୍ଥ ଜଣେ ଜ୍ଞାତିଙ୍କର ଚାଟଶାଳୀରେ ସିଦ୍ଧିରସ୍ତୁ ଆରମ୍ଭ କଲି । ସେଠାରେ ରାସପଞ୍ଚାଧ୍ୟାୟର ୩-୪ ଅଧ୍ୟାୟ ପାଠକଲାରୁ ସେହି ଚାଟଶାଳୀ ମଧ୍ୟ ଭାଙ୍ଗିଗଲା । ପରେ ମୋର ପିତା ନିଜେ ମୋତେ ନାମରତ୍ନଗୀତା ପଢ଼ାଇବାକୁ ଲାଗିଲେ । ତାହା ଦେଖୁ ପଡ଼ାର ୫-୭ ପିଲା ମୋ ସଙ୍ଗେ ପଢୁ ପଢୁ ୨୫-୩୦ ପିଲା ପଢ଼ିଲେ । ପିତାଙ୍କର ଚାଟଶାଳୀଟିଏ ହେଲା । ମୁଁ କ୍ରମରେ ଭାଗବତ ଏବଂ ମଥୁରାମଙ୍ଗଳ ଆଦି ସାଧାରଣ ଛାନ୍ଦଗ୍ରନ୍ଥ ଉତ୍ତମରୂପେ ଗାଇପାରିଲି । ୨୫ ଖନ୍ଦା ପଣକିଆ ମଧ୍ୟ ସାଧାରଣ ଭାବରେ କଣ୍ଠସ୍ଥ କଲି । ପ୍ରାୟ ୧୦ ବର୍ଷ ବୟସରେ ମୋର ବିବାହ ହେଲା । ତହିଁରେ ୬୦ ଟଙ୍କା ପର୍ଯ୍ୟନ୍ତ ଋଣ ହୋଇଗଲା । ମୋର ପିତା ସର୍ବଦା ବସ୍ତ୍ରବୟନାଦି କାର୍ଯ୍ୟରେ ଅବହେଳା କରୁଥିଲେ ବୋଲି ତାଙ୍କର ପିତାମାତା ଓ ଭ୍ରାତାଙ୍କଦ୍ଵାରା ନିନ୍ଦିତ ହେଉଥିଲେ । ଏଣେ ଋଣବୃଦ୍ଧିର ଉପକ୍ରମ ଦେଖି ତାଙ୍କର ପିତା ଓ ଭ୍ରାତା ତାଙ୍କୁ ଭିନେ କରିଦେଲେ । ମୋର ପିତାଙ୍କ ଉପରେ ନିଜର ପରିବାର ନିଜେ ପୋଷିବାର ଭାର ପଡ଼ିଲା । ପିତାଙ୍କର ପରିବାର ବୋଇଲେ ମୋର ମାତା, ମୁଁ ଏବଂ ମୋର ଅଗ୍ରଜା ଅନୁଜା ଦୁଇଗୋଟି ଭଉଣୀ । ମୋର ପିତାଙ୍କୁ ତାଙ୍କର ପିତା ଓ ଭ୍ରାତା କିଛି ଭାଗ ଦେଉ ନ ଥିଲେ । କିଛିଦିନ ତାଙ୍କୁ ବଡ଼ କଷ୍ଟରେ ଚଳିବାକୁ ପଡ଼ିଲା । ଏମନ୍ତକି କେତେକ ଦିନ ପର୍ଯ୍ୟନ୍ତ ଅଭାବ ଥିବାରୁ ୧-୨ ଖଣ୍ଡ ଖୁରୀ (କଂସା) ଓ ଥାଳି ତାଙ୍କ ପିଉସୀ ଘରୁ ମାଗିଆଣି ନିର୍ବାହ ହେବାକୁ ପଡ଼ିଲା । ପିତା ବହୁତ ବ୍ୟସ୍ତ ହୋଇ, ବହୁତ କଳହ କରି, ବହୁତ ପଞ୍ଚାଏତ କରି ତୃତୀୟାଂଶ ତାଙ୍କ ପାଇବାର ସ୍ଥିର ହେଲା । ତଥାପି ସେ ତାହା ଠିକ୍ ରୂପେ ପାଇପାରିଲେ ନାହିଁ । କାନର ସୁନା ଫାସିଆ ଓ ହାତର ରୂପା ବଳା ଆଦି ଆମ୍ଭେ ଯାହା ଯାହା ପିନ୍ଧିଥିଲୁ, ତାହାସବୁ ପ୍ରାୟ ଆୟଭାଗରେ ପଡ଼ିଲା । ଚଳନୋପଯୋଗୀ ବାସନବର୍ତ୍ତନ ମଧ୍ୟ ହେଲା । ଗାଈ ବାଛୁରୀ ୨୦ ପଟ, ବଳଦ ୭-୮ ପଟ, ଆମ୍ବ ୨୦ ଗଛ, ଋଣ ୨୦ ଟଙ୍କା, କଳଦାର ଟଙ୍କା ଗୋଟିଏ, ୪-୫ ଯୋଡ଼ା ଲୁଗାର ଉପକରଣ ସୂତା, କରଜ ଦେଇଥିବା ଧାନ ପ୍ରାୟ ୨୦-୨୫ ପୁଡ଼ୁଗ ପର୍ଯ୍ୟନ୍ତ ପିତା ହିଁସା ପାଇଲେ ଏବଂ ନିଜେ ନିୟମିତରୂପେ ବସ୍ତ୍ରବୟନ କରି ଆମ୍ଭମାନଙ୍କୁ ପୋଷିଲେ ।

 

ଏ ମଧ୍ୟରେ କିଛିଦିନ ମୋର ପଢ଼ାପଢ଼ି ବନ୍ଦ ହେଲା । ମୋତେ ଖାଲି ବୁଲୁଥିବାର ଦେଖି କଟକିଆ ଅବଧାନଙ୍କ ଚାଟଶାଳୀରେ ଦେବାକୁ ପିତା କେତେ କେତେ ବେଳେ ମନସ୍ଥ କରୁଥିଲେ । ସେ ସମୟର ଅବଧାନଙ୍କ ପ୍ରହାର କଥା ଶୁଣି ମୋ ପ୍ରାଣ କମ୍ପିଯାଉଥିଲା ଏବଂ ଚାଟଶାଳୀର ଛାତ୍ରମାନଙ୍କର ଦୁଷ୍ଟତାକୁ ମଧ୍ୟ ଭୟ ହେଉଥାଏ । ସେ ସମୟରେ ସ୍କୁଲରେ ମଧ୍ୟ କମ୍ ପ୍ରହାର ନ ଥିଲା । ପରେ ଯେତେବେଳେ କଟକ ଜିଲ୍ଲା ଅନ୍ତର୍ଗତ ମୂଳବସନ୍ତନିବାସୀ ପଣ୍ଡିତ ଘନଶ୍ୟାମ ମିଶ୍ର ବରପାଲି ସ୍କୁଲକୁ ଶିକ୍ଷକ ହୋଇ ଆସିଲେ, ତାଙ୍କରି ସାଧୁତା ଓ ଶିଷ୍ୟବାତ୍ସଲ୍ୟ କଥା ସ୍କୁଲର ଛାତ୍ରମାନଙ୍କ ମୁଖରୁ ଶୁଣି ସ୍କୁଲରେ ପଢ଼ିବାକୁ ମୋର ଇଚ୍ଛା ହେଉଥିଲା; କିନ୍ତୁ କାହାକୁ କିଛି କହିପାରୁ ନ ଥାଏ । ମୋତେ ସ୍କୁଲରେ ଦେବା ପିତାଙ୍କର ଆଦୌ ଇଚ୍ଛା ନ ଥୁଲା । କାହିଁକି ନା, ପୂର୍ବତନ ଶିକ୍ଷକଙ୍କ ସମୟରେ ଅନୁପସ୍ଥିତ ବାଳକମାନଙ୍କର ପିତାମାନେ ବରଗଡ଼କୁ ଧାଇଁଧାଇଁ କଠିନ ପରିଶ୍ରମ ଦଣ୍ଡ ପାଇଥିଲେ, ଯେତେବେଳେ କି ମୁଁ ସାନ ଥିବାରୁ ସ୍କୁଲକୁ ନିଆଯାଇ ନ ଥିଲି । ସ୍କୁଲରେ ଯାହାର ନାମ ଲେଖା ଯାଉଥାଏ ତାର ଘରେ କାନ୍ଦବୋବାଳି ପଡ଼ୁଥିଲା ।

 

ସମ୍ଭବତଃ ୧୮୭୫ ଖ୍ରୀଷ୍ଟାବ୍ଦରେ ବରଗଡ଼ ତହସିଲଦାର ବରପାଲି ଆସିଥିଲେ । ସେହି ସମୟରେ ଆମ୍ଭ ପଡ଼ାର କେହି ହୁଏତ ମୋର ପିତାଙ୍କ ଉପରେ ନିଜର ହିଂସା ଫଳାଇବାକୁ ମୋର ନାମ ତହସିଲଦାରଙ୍କଠାରେ ଲେଖାଇଦେଲେ । ତହସିଲଦାର ସାହେବ ମୋର ପିତାଙ୍କୁ ଡକାଇନେଇ ମୋତେ ସ୍କୁଲକୁ ପଠାଇବା ନିମନ୍ତେ ବାଧ୍ୟକରି ତାଙ୍କଠାରୁ (ପିତାଙ୍କଠାରୁ) ଏକ୍ରାରନାମା ଲେଖାଇନେଲେ । ପିତା ଗୃହକୁ ଆସି ସେ କଥାକୁ ଅନ୍ୟାନ୍ୟ ଲୋକଙ୍କ ପରି ବିପଦଜ୍ଞାନ ନ କଲେହେଁ ମୋର ବସ୍ତ୍ରବୟନଶିକ୍ଷାରେ ବାଧା ହେବ ବୋଲି ଭାବିତ ହେଲେ । ମୁଁ ସ୍କୁଲକୁ ଯିବା ସମ୍ବାଦରେ ମନେ ମନେ ଉଲ୍ଲସିତ ହୋଇଥିଲି । ମୋ କଥାରୁ ହର୍ଷର ଆଭାସ ପାଇ ପଡ଼ାର ଜଣେ ଲୋକ କହିପକାଇଲେ –

 

‘‘ବଡ଼ ବଡ଼ମାନେ ଗଲେଣି ହଟି,

ସାନ ଯାଉଛି ବେସର ବାଟି ।’’

 

ସେ କଥାରେ ମୁଁ ସଙ୍କୁଚିତ ହୋଇପଡ଼ିଲି । ଅନ୍ୟ ଦିନ ସ୍କୁଲ ଚପରାସୀ ଆସି ମୋତେ ଡାକିନେଲା । ପ୍ରଥମେ ବ୍ରାଞ୍ଚ୍ ସ୍କୁଲକୁ କିଛିଦିନ ନିୟମିତରୂପେ ଗଲି । ପରେ ମଧ୍ୟାହ୍ନ ସମୟରେ ପଡ଼ାରେ ବଳରାମ ଦାସଙ୍କ ରାମାୟଣ ପାଠ ହେଉଥିବାରୁ ତାହା ଶୁଣିବାର ଶ୍ରଦ୍ଧାରେ ଓ ଅବହେଳାରେ କିଛିଦିନ ଅନୁପସ୍ଥିତ ମଧ୍ୟ ହେଲି; କିନ୍ତୁ ପିତାଙ୍କର ପ୍ରେରଣାରେ ପୁନର୍ବାର ଉପସ୍ଥିତ ହେଲି । ବ୍ରାଞ୍ଚ୍ ସ୍କୁଲଶିକ୍ଷକ ଆମ୍ଭମାନଙ୍କୁ ପଢ଼ାଉଥିବା ସମୟରେ ଆମ୍ଭମାନଙ୍କୁ ପାଠ ଘୋଷିବାକୁ କହି କେତେକ ଦିନ ‘ସୀତା ବନବାସ’ (ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ପୁସ୍ତକ, ଯାହା ବିଚ୍ଛନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦିତ ହୋଇଥିଲା) ପାଠ କରିଥିଲେ । ମୁଁ ତାହା ଶୁଣି ତହିଁର ଅନେକ କଥା ବୁଝିପାରିଥିଲି । ବ୍ରାଞ୍ଚ୍ ସ୍କୁଲରେ ଘନଶ୍ୟାମ ମିଶ୍ରଙ୍କ ପ୍ରଣୀତ ବର୍ଣ୍ଣପରିଚୟ ପାଠ କରିବାକୁ ହୋଇଥିଲା ଏବଂ ଗଣିତ, ପଚିଶଖନ୍ଦା ପଣକିଆ ପୁନରଭ୍ୟାସ ଓ ଯୋଗ ବିଯୋଗ ଗୁଣନ ହରଣ ନୂତନ ଶିଖିବାକୁ ହେଲା । ୬ ମାସ ପରେ ୨ୟ ଶ୍ରେଣୀକୁ ଗଲି । ବ୍ରାଞ୍ଚ୍ ସ୍କୁଲ ଗ୍ରାମ ମଧ୍ୟସ୍ଥ ସମଲାଇଗୁଡ଼ିରେ ହେଉଥିଲା । ୨ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଗ୍ରାମ ଉପକଣ୍ଠସ୍ଥ ଗୋଟିଏ ପ୍ରକାଣ୍ଡ ଖପରଘରରେ ପଢୁଥିଲେ । ଯେତେବେଳେ ପ୍ରଥମ ଶ୍ରେଣୀର ପରୀକ୍ଷା ଦେବା ନିମନ୍ତେ ବଡ଼ ସ୍କୁଲକୁ ଗଲି, ସେଠାକାର କାନ୍ଥରେ ମାନଚିତ୍ରମାନ ଟଙ୍ଗା ହୋଇଥିଲା । ତାହା କି ଚିତ୍ର – ହାତୀ ନା ଘୋଡ଼ା କିଛି ବୁଝିପାରିଲି ନାହିଁ । ୨ୟ ଶ୍ରେଣୀରେ ପଢ଼ିବା ସମୟରେ ମୋର ପିତା ହେଡ୍‌ମାଷ୍ଟରଙ୍କ ଅନୁମତି ନେଇ ବେଳେ ବୟନକାର୍ଯ୍ୟରେ ଲଗାଇଲେ ଏବଂ ବେଳେ ପଢ଼ିବା ନିମନ୍ତେ ସ୍କୁଲକୁ ଛାଡ଼ିଦିଅନ୍ତି । ଏହିପରି ଯାଇ ୨ୟ ଶ୍ରେଣୀରେ ବୋଧୋଦୟ ଓ ଗଣିତ ମିଶ୍ର ଯୋଗ ବିଯୋଗ ପଢ଼ି ୬ ମାସରେ ୩ୟ ଶ୍ରେଣୀକୁ ଗଲି । ତହିଁରେ ସାହିତ୍ୟ ଚାରୁପାଠ ୧ମ ଭାଗ, ଇତିହାସ ୨ୟ ଭାଗର ଅର୍ଦ୍ଧାଂଶ, ଭୂଗୋଳସୂତ୍ରରୁ ମଧ୍ୟପ୍ରଦେଶ ଓ ମଧ୍ୟପ୍ରଦେଶର ନକ୍‌ସା, ଉତ୍କଳ ବ୍ୟାକରଣ ସଂକ୍ଷେପ ସନ୍ଧି ପର୍ଯ୍ୟନ୍ତ, ଗଣିତ ମିଶ୍ର ଗୁଣନ ହରଣ, ସାଧାରଣ ତ୍ରୈରାଶିକ, ଲଘିଷ୍ଠ; ଗରିଷ୍ଠ ପଢ଼ିଲି । ପୁଣି ୬ ମାସ ପରେ ୪ର୍ଥ ଶ୍ରେଣୀ । ସେଠାରେ ସାହିତ୍ୟ ଚାରୁପାଠ ୨ୟ ଭାଗ, କାଦମ୍ବରୀର ଅଧା, ଇତିହାସ ୨ୟ ଭାଗର ଶେଷାଂଶ, ଉତ୍କଳବ୍ୟାକରଣ ସଂକ୍ଷେପପୂର୍ଣ୍ଣ ରୂପେ, ସର୍ବପ୍ରକାର ତ୍ରୈରାଶିକ, ବହୁରାଶିକ, ଭଗ୍ନାଂଶାଦି ଓ ଭାରତବର୍ଷର ନକ୍‌ସା ସହିତ ଭୂଗୋଳ । ୬ ମାସ ପରେ ପଞ୍ଚମ ଶ୍ରେଣୀ । ପଞ୍ଚମ ଶ୍ରେଣୀରେ ସାହିତ୍ୟ ଚାରୁପାଠ ୩ୟ ଭାଗ, କାଦମ୍ବରୀର ଶେଷ, ଇତିହାସ ୩ୟ ଭାଗ, ବ୍ୟାକରଣ ଉପକ୍ରମଣିକା, ଗଣିତ କୁସୀଦ ବ୍ୟବହାର, ଚକ୍ରବୃଦ୍ଧି, ଡିସ୍‌କାଉଣ୍ଟ୍, କମ୍ପାନୀର କାଗଜ ବିକ୍ରି, କ୍ଷେତ୍ରପରିମାଣ, ବର୍ଗମୂଳ, ଘନମୂଳ ପର୍ଯ୍ୟନ୍ତ ପଢ଼ାହୁଏ । ମୁଁ ୬ ମାସ ପଢ଼ିଥିଲି । ମୋ ଆଗରୁ ପୂର୍ବ ବର୍ଷରୁ ପଢ଼ିଥିବା ୨ ଜଣ ଛାତ୍ର ନର୍ମାଲ ପରୀକ୍ଷା ଦେବା ନିମନ୍ତେ ସମ୍ବଲପୁର ପ୍ରେରିତ ହେଲେ । ହେଡ୍‌ମାଷ୍ଟର ମୋତେ ପଠାଇବାର ପ୍ରସ୍ତାବ କରିବାରେ ମୋର ପିତାମାତା ଛାଡ଼ିଦେବାକୁ ଅସମ୍ମତ ହେଲେ; କାରଣ ତାହା ଆଷାଢ଼ ମାସରେ ହୋଇଥିଲା । ପୂର୍ଣ୍ଣ-ଗର୍ଭା ମହାନଦୀ ପାର ହୋଇ ମୁଁ ଯିବି, ଏହା ମୋର ପିତାମାତାଙ୍କର ସାହସ ହେଲାନାହିଁ । ମୋର ଉତ୍ସାହରେ ବାଧା ହେବାରୁ ମୁଁ ବ୍ୟଥିତ ହେଲି । ସେ ସମୟରେ ଜଣେ ଭଦ୍ରଲୋକ ମୋର ପରୀକ୍ଷା ଦେଇ ନ ଯିବାର କାରଣ ପଚାରିବାରୁ ମୁଁ କିଛି ଉତ୍ତର ଦେଇ ନ ପାରି ଅନେକ ଲୋକଙ୍କ ସମକ୍ଷରେ କାନ୍ଦିପକାଇଲି । ପୁଣି ମୋର ପଢ଼ା ଚାଲିଲା । ସେ ସମୟରେ ୫ମ ଶ୍ରେଣୀରେ ବର୍ଷେ ଦୁଇ ବର୍ଷ, ତିନି ବର୍ଷ ପଢ଼ିବାରେ କର୍ତ୍ତୃପକ୍ଷଙ୍କର କିଛି ଆପତ୍ତି ନ ଥିଲା । ମୋର ପଢ଼ା ଏକ ବର୍ଷ ପୂର୍ଣ୍ଣ ହେଲାରୁ ଶିକ୍ଷକ ମହାଶୟ ନିଜ ଇଚ୍ଛାରେ ୬ଷ୍ଠ ଶ୍ରେଣୀର ଉଦ୍‌ଘାଟନ କଲେ । ଷଷ୍ଠରେ ସାହିତ୍ୟ, ରଘୁବଂଶ, କ୍ଷେତ୍ରତତ୍ତ୍ୱ, ବୀଜଗଣିତ ପଢ଼ାଇଲେ । କିନ୍ତୁ ଅଳ୍ପଦିନ ପରେ ଅବକାଶ ନେଇ ଗୃହକୁ ଚାଲିଯିବାରୁ ସ୍କୁଲଟି କର୍ତ୍ତୃପକ୍ଷଙ୍କର ନିୟମାନୁସାରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଲା । ମୋର ପଢ଼ା ମଧ୍ୟ ଶେଷହେଲା ।

 

୨ୟ ଶ୍ରେଣୀରୁ ଆରମ୍ଭ କରି ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାଯାଏ ମୁଁ ଏକବେଳ ଗୃହରେ ଥାଇ ବୟନକାର୍ଯ୍ୟରେ ପିତାଙ୍କୁ ସାହାଯ୍ୟ ଦେଲି, ନିଜେ ମଧ୍ୟ ଶିଖିଲି । ଗୃହରେ କାର୍ଯ୍ୟ କରୁଥିବା ସମୟରେ ସନ୍ଥସବୁ ଠିକ୍‌କରି ନେଇଥାଏ । ଯାହା ହୋଇ ନ ପାରେ, ସନ୍ଧ୍ୟାସମୟରେ ଶିକ୍ଷକଙ୍କ ବସାକୁ ଯାଇ ଅନ୍ୟାନ୍ୟ ଛାତ୍ରଙ୍କୁ ଓ ଶିକ୍ଷକଙ୍କୁ ପଚାରିନିଏଁ । ସନ୍ଧ୍ୟାସମୟରେ ଶିକ୍ଷକଙ୍କ ବସାରେ ଅନେକ ପ୍ରଧାନ ପ୍ରଧାନ ଛାତ୍ର ଉପସ୍ଥିତ ହୋଇ ପାଠ ଘୋଷୁଥିଲେ । କେହି କେହି ଗରିବ ଛାତ୍ର ଶିକ୍ଷକଙ୍କ ଗୃହରେ ଆହାର କରି ରାତ୍ରିରେ ସେଠାରେ ଶୋଉଥିଲେ । ଶିକ୍ଷକ ଅପତ୍ୟ-ନିର୍ବିଶେଷରେ ଛାତ୍ରମାନଙ୍କୁ ସ୍ନେହ କରୁଥିଲେ । ମୋର ପିତାଙ୍କର ଆର୍ଥିକ ଅବସ୍ଥା ବଡ଼ ଶୋଚନୀୟ ଥିଲା । ମୁଁ ସ୍କୁଲରେ ଶିକ୍ଷା ଶେଷ କରିବା ପର୍ଯ୍ୟନ୍ତ ସାମାନ୍ୟ କୁରୁତା ଖଣ୍ଡେ କରିପାରି ନଥିଲି । ଖଣ୍ଡେ ଶାନ୍ତିପୁରୀ ଚଦର ଅତି ମ୍ଳାନ ହେବା ପର୍ଯ୍ୟନ୍ତ ବ୍ୟବହାର କରିବାକୁ ପଡ଼ିଥିଲା । ହାକିମ ଆସିଲା ଦିନ ସମସ୍ତେ କୁରୁତା ଲଗାଉଥିଲେ । ମୋ ଭାଗ୍ୟରେ ତାହା କେବେ ଘଟି ନ ଥିଲା । ଭଲୁ ଧୋତି ନ ଥିବାରୁ ପିତାମାତାଙ୍କଠାରେ ଅଳି କଲାବେଳେ ମୋର ପିତୃବ୍ୟ ତାଙ୍କର ଖଣ୍ଡେ କୋଷା ଧୋତି ବାହାର କରି ଦେଉଥିଲେ । ଥରେ ଇନ୍‌ସ୍‌ପେକ୍‌ଟର ଜେନେରାଲ୍ ଆସିବାରୁ ଅନେକ ଛାତ୍ର ନୂତନ କୋଟ୍ ଚପନ ପ୍ରସ୍ତୁତ କରାଇଲେ । ତହିଁ ସଙ୍ଗେ ମୋର ପିତାଙ୍କଠାରୁ ଟ୧/- ବା ଦେଢ଼ ନେଇ ଶିକ୍ଷକ ମହାଶୟ ଇଂକ୍ଳଥ କିଣି ଦରଜିକୁ ଦେଲେ । ଦରଜି ତାହା ପୂର୍ଣ୍ଣରୂପେ ସିଲାଇ କରି ନ ଥିଲା। ସାହେବ ଆସିଗଲେ । କନା ସିଲାଇ ଅବସ୍ଥାରେ ସେହି ଚପକନ ଲଗାଇ ସାହେବଙ୍କଠାରେ ପରୀକ୍ଷା ଦେଲି । ସେ ଚପକନଟି ଆଉ ପୂର୍ଣ୍ଣ ସିଲାଇ ହୋଇପାରିଲା ନାହିଁ । ପରେ ନିଜେ ମୁଁ ହାତରେ ସିଇଁ ନେଇଥିଲି । ପଞ୍ଚମ ଶ୍ରେଣୀର ଶିକ୍ଷା ସଙ୍ଗେ ଶିକ୍ଷକ ମହାଶୟ ମୋତେ ଓ ମୋ ଉପରର ଦୁଇଜଣ ପୁରାତନ ଛାତ୍ରଙ୍କୁ ସୂତ୍ରସାର ନାମକ ସଂସ୍କୃତ ବ୍ୟାକରଣ ପ୍ରାଇଭେଟ୍‌ରେ ପଢ଼ାଉଥିଲେ । ତାହା ସୁଦ୍ଧା ଗୃହରେ କାର୍ଯ୍ୟ କରି କରି ପଢ଼ିଥିଲି । ଆମ୍ଭମାନଙ୍କ ଛଡ଼ା କେତେକ ବାହାରିଆ ବ୍ରାହ୍ମଣ ପିଲାମାନଙ୍କୁ ମଧ୍ୟ ଶିକ୍ଷକ ମହାଶୟ ସିଦ୍ଧାନ୍ତଚନ୍ଦ୍ରିକା ବ୍ୟାକରଣ ପଢ଼ାଉଥିଲେ । ତହିଁରୁ ମଧ୍ୟ କେତେଗୁଡ଼ିଏ ସୂତ୍ର ଆମ୍ଭେମାନେ ଅଭ୍ୟାସ କରି ନେଉଥିଲୁଁ । ସେତେବେଳେ ଶିକ୍ଷକଙ୍କ ବସା ଋଷିର ଆଶ୍ରମ ତୁଲ୍ୟ ବୋଧ ହେଉଥିଲା ।

 

ମୁଁ ପାଞ୍ଚଗୋଟି ଶ୍ରେଣୀରେ ଯେତେ ପୁସ୍ତକ ପଢ଼ିଲି, ତହିଁରେ ପ୍ରାୟ ଟ୨/- ପର୍ଯ୍ୟନ୍ତ ପୁସ୍ତକ କିଣିବାରେ ମୋର ଖର୍ଚ୍ଚ ହୋଇଥିବ । ଅବଶିଷ୍ଟ ସମସ୍ତ ପୁସ୍ତକ ଛାତ୍ରମାନଙ୍କଠାରୁ ମାଗିଆଣ ପଢ଼େଁ ପଢ଼ିସାରିଲେ ସେମାନଙ୍କୁ ଫେରାଇଦିଏ । ସ୍କୁଲ ବେତନ ସେ ସମୟରେ କେହି ଦେଉ ନ ଥିଲେ ।

 

ମୋର ସ୍କୁଲପଢ଼ା ଶେଷ ହେଲା । ସମସ୍ତ ଦିନ ଗୃହରେ କାର୍ଯ୍ୟ କଲି ଏବଂ ଟିକିଏ ସମୟ ପାଇଲେ କିଛି ନା କିଛି ପଢ଼ୁଥାଏ । ଯାହାଠାରୁ ଯାହା ପୁସ୍ତକ ପାଏ, ମାଗି ପଢ଼େଁ । କେବେ କେବେ ତମସୁକ ଲେଖି କିଛି କିଛି ପାଏଁ; ତାହା ପୁସ୍ତକ କିଣିବାରେ ବ୍ୟୟିତ ହୁଏ । କ୍ରମେ ମୁଁ ଭଲରୂପେ ବୟନକାର୍ଯ୍ୟ ଶିଖିଲି ।

 

୧୮୭୮ ଖ୍ରୀଷ୍ଟାବ୍ଦରେ ମୋର ଦୂର୍ବାକ୍ଷତ ହୁଏ । ପିଲା କ୍ରମେ କ୍ରମେ ମୋ ଉପରେ ପରିବାରପୋଷଣର ଭାରାର୍ପଣ କରିବାକୁ ଲାଗିଲେ ଏବଂ ବୟନକାର୍ଯ୍ୟରୁ ଅବ୍ୟାହତି ପାଇ ସାହୁକାରୀ କରିବାରେ ଅଧିକ ସମୟ ଲାଗିଲେ । ତାଙ୍କର ବୈଦ୍ୟକାର୍ଯ୍ୟ ମଧ୍ୟ ଚାଲିଥାଏ । ତେବେ ତହିଁରେ ତାଙ୍କର ଅଧିକ ପ୍ରସିଦ୍ଧି ନଥିଲା । ମୋର ହାତରେ ନିର୍ମିତ ବସ୍ତ୍ରରେ ଗ୍ରାହକମାନଙ୍କର ଆଗ୍ରହ ବଳିଲା ଏବଂ ମୋ ହାତରେ ତମସୁକ ଆଦି ଲେଖାଇବାକୁ ମଧ୍ୟ ଲୋକଙ୍କର ଆଗ୍ରହ ବୃଦ୍ଧି ହେଲା; କିନ୍ତୁ ମୁଁ ଏକାକୀ ଲୁଗା ବୁଣିବାକୁ ଟିକେ ବିରକ୍ତ ହୁଏଁ । ଦୈବାତ୍ ମୋହର ଗୃହଦାହ ହେଲା। ଲୁଗା ବୁଣିବାର ଯନ୍ତ୍ର ପ୍ରାୟ ସମସ୍ତ ଦଗ୍ଧ ହୋଇଗଲା । ପୁଣି ମୋତେ କେତେକ ନିତାନ୍ତ ଆବଶ୍ୟକୀୟ ଯନ୍ତ୍ର ବାଧ୍ୟହୋଇ ଯୋଗାଡ଼ କରିବାକୁ ପଡ଼ିଲା ।

 

ଘନଶ୍ୟାମ ମିଶ୍ରଙ୍କ ଉତ୍ତାରୁ ବନମାଳୀ ଆଚାର୍ଯ୍ୟ ବରପାଲି ସ୍କୁଲର ଶିକ୍ଷକ ହେଲେ । କେତେକ ବର୍ଷ ପରେ ସେ ମଧ୍ୟ ଛୁଟି ନେଇ ଘରକୁ ବାହାରିଗଲେ । ତଦୁତ୍ତାରେ ତାଙ୍କ କାର୍ଯ୍ୟରେ ଶ୍ରୀ ଲକ୍ଷ୍ମଣ ମିଶ୍ର ରହିଲେ । ଘନଶ୍ୟାମ ମିଶ୍ରଙ୍କ ସମୟରେ ଯେଉଁ ନର୍ମାଲ ସ୍କୁଲରେ ପରୀକ୍ଷା ହୋଇଥିବାର ପୂର୍ବେ ଉଲ୍ଲେଖ ହୋଇଅଛି, ସେଇଦିନରୁ ନର୍ମାଲ ସ୍କୁଲ ସମ୍ବଲପୁରରୁ ଉଠିଗଲା ଏବଂ ଟାଉନ ସ୍କୁଲ ଓ ଭିଲେଜ୍‌ସ୍କୁଲ ପରୀକ୍ଷା ଆରମ୍ଭ ହେଲା । ଲକ୍ଷ୍ମଣ ମିଶ୍ର ମୋତେ ଉତ୍ସାହିତ କରି ଭିଲେଜ୍ ସ୍କୁଲର ପରୀକ୍ଷା ଦେବାକୁ ପ୍ରବର୍ତ୍ତାଇବାରୁ ପୁଣି ସ୍କୁଲରେ ନାମ ଲେଖାଇ ଆବଶ୍ୟକୀୟ ବିଷୟମାନ ଶିକ୍ଷା କଲି ଓ ୧୮୮୨ ଖ୍ରୀଷ୍ଟାବ୍ଦରେ ସମ୍ବଲପୁର ଯାଇ ପରୀକ୍ଷା ଦେଲି । ମରହଟ୍ଟା ଡେପୁଟି ଇନ୍‌ସପେକ୍‌ଟର ପ୍ରଶ୍ନ ଡାକିଥିଲେ, ଯହିଁରେ ଆର୍ଯ୍ୟ-ଶବ୍ଦ ‘ଆରିଓ’ ଉଚ୍ଚାରିତ ହୋଇଥିଲା । ଗଣିତ ପ୍ରଶ୍ନ ସମ୍ବଲପୁର ଜେଲର ପଥରଛପା ଅଙ୍କମାନ ସ୍ପଷ୍ଟ ଚିହ୍ନା ପଡ଼ୁ ନ ଥିଲା । ମୋଟ ମାର୍କ ୪୦୦ ରୁ ୨୫୦ ପାସ ହୋଇଥିଲେ ମଧ୍ୟ ଗଣିତରେ ଉପଯୁକ୍ତ ନମ୍ବର ପାସ ହୋଇପାରି ନ ଥିବାରୁ ଭିଲେଜ୍‌ସ୍କୁଲରେ ପାସ ନ ହୋଇ ଦେଶୀୟ ପାଠଶାଳାର ସାର୍ଟିଫିକେଟ ମିଳିଲା ।

ମୋର କାର୍ଯ୍ୟ ପୂର୍ବବତ୍ ଚଳୁଥିଲା ଓ ଚଳିଲା । ମୁଁ ମୋର ପିତାଙ୍କର ଏକମାତ୍ର ପୁତ୍ର ଥିବାରୁ ସେମାନେ ଚାକିରି ନିମନ୍ତେ ମୋତେ ଗ୍ରାମାନ୍ତର ଛାଡ଼ିଦେବାକୁ ରାଜିନଥିଲେ । ୧୮୮୫ ଖ୍ରୀଷ୍ଟାବ୍ଦରେ ବରପାଲି ଜମିଦାରଙ୍କର ଜମିଦାରିର ଅମିନ କାର୍ଯ୍ୟରେ ସର୍ବପ୍ରଥମେ ନିଯୁକ୍ତ ହେଲି । କିଛିଦିନ କାର୍ଯ୍ୟ କଲାରୁ କାର୍ଯ୍ୟ ବନ୍ଦ ହେଲା । କେତେକ ଦିନ ପରେ ବରପାଲି ଜମିଦାର ଓ ମୋକ୍ତାରଙ୍କ ବିରୁଦ୍ଧରେ କନବାଡ଼ ଗ୍ରାମ ଅନଧିକାର ପ୍ରବେଶ କରିଥିବାର ମକଦ୍ଦମା ପଡ଼ିଲା । ମୋକ୍ତାର କପିଳ ଚରଣ ପଟ୍ଟନାୟକ ମୋତେ ଗୋଟିଏ ସଫାଇ ସାକ୍ଷୀ ଦେଲେ । ମୋର ଇଝାର କରାଇବାକୁ ତାଙ୍କୁ ମନା କଲି; ସେ ମାନିଲେ ନାହିଁ । ମୋର ଇଝାରରେ ତାଙ୍କର ପରିତ୍ରାଣ ପରିବର୍ତ୍ତରେ ଦୋଷ ଦୃଢ଼ତର ପ୍ରମାଣିତ ହୋଇଗଲା । ତହିଁ ନିମନ୍ତେ ଜମିଦାରଙ୍କୁ ଟ ୩୦୦, ମୋକ୍ତରଙ୍କୁ ଟ ୫୧/- ଓ ଅନ୍ୟ ୮ ଜଣଙ୍କୁ ଟ୮o ଜୋରିମାନା ହେଲା । ଜମିଦାର ମୋ ଉପରକୁ ଅତ୍ୟନ୍ତ ରାଗାନ୍ୱିତ ହେଲେ । ଅପିଲରେ ଜମିଦାର ନିର୍ଦ୍ଦୋଷ ପ୍ରମାଣିତ ହେଲେ; କିନ୍ତୁ ମୋକ୍ତରଙ୍କ ଦଣ୍ଡ ପ୍ରବଳ ରହିଲା । ତଥାପି ମୋକ୍ତାର ମୋ ପ୍ରତି ଅସନ୍ତୁଷ୍ଟ ନଥିଲେ । ପୁଣି ଜମିଦାରିର ବନ୍ଦୋବସ୍ତ କାର୍ଯ୍ୟ ଚଳିବାରୁ ମୋକ୍ତାର ମହାଶୟ ମୋତେ ଅମିନକାର୍ଯ୍ୟ କରିବାକୁ ବାଧ୍ୟ କଲେ । ବନ୍ଦୋବସ୍ତ ଶେଷରେ ଜମିଦାର ସାହେବ ମୋତେ ମାଲମୋହରିର କାର୍ଯ୍ୟ ଦେଲେ । କ୍ରମରେ ତାଙ୍କର ଖମାର, ବଜାର ପ୍ରଭୃତି ଅନେକ ବିଷୟର ହିସାବ ଭାର ଦେଲେ ଓ ମୋ ଉପରେ ବିଶ୍ଵାସ ରଖିଲେ । ୧୮୯୯ ଖ୍ରୀଷ୍ଟାବ୍ଦରେ ବରପାଲି ଜୁଡ଼ିସିୟଲ ମୋହରିର ମରିଯିବାରୁ ଜମିଦାର ସାହେବ ମୋ ନାମରେ ସୁପାରିଶ କରି ସେହି କାର୍ଯ୍ୟଖଣ୍ଡିକ କରାଇଦେଲେ । ସେହି ଦିନରୁ ବରପାଲିରେ ପ୍ରାୟ ୩ ବର୍ଷ କାର୍ଯ୍ୟ କରି କିଛିଦିନ ସମ୍ବଲପୁରରେ ରହିଲି । ପରେ ବିଜେପୁର ପରିବର୍ତ୍ତିତ ହୋଇ ସେଠାରେ ଦୁଇ ବର୍ଷ ରହିଲି; ପୁଣି ସମ୍ବଲପୁର ପରିବର୍ତ୍ତିତ ହେଲି । କେତେକ ମାସ ପରେ କ୍ରମେ କ୍ରମେ ଦୁଇ ବର୍ଷ ପର୍ଯ୍ୟନ୍ତ ବିନା ବେତନରେ ଛୁଟି ନେଇ ବରପାଲିରେ ରହିଲି । ୧୯୦୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ସମ୍ବଲପୁର ଯାଇ କାର୍ଯ୍ୟରେ ଉପସ୍ଥିତ ହେଲି । ୧୯୧୩ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ବିଜେପୁର ଆସିଲି । ୧୯୧୪ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବରରୁ ପଦ୍ମପୁର ଆସିଅଛିଁ ।

ବରପାଲିରେ ପ୍ରଥମ ବେତନ ୭ ଟଙ୍କା କ୍ରମରେ ୮/୧୦/୧୫ ଟଙ୍କା ପର୍ଯ୍ୟନ୍ତ ହୋଇଥିଲା । ଜୁଡ଼ିସିଆଲ ମୋହରିର କାର୍ଯ୍ୟରେ ପ୍ରଥମ ବେତନ ଟ ୧୫/-, ତହିଁରୁ ଟ ୨୦/- ଓ ଟ ୩୦/- ହୋଇ ବର୍ତ୍ତମାନ ଟ ୩୫/- ହୋଇଅଛି ।

ସ୍କୁଲ ଛାଡ଼ିଲାରୁ ଲାବଣ୍ୟବତୀ, ସୁଭଦ୍ରାପରିଣୟ, ରସିକ ହାରାବଳୀ ଓ ବୈଦେହୀଶ ବିଳାସର କେତେକାଂଶ ସାଧାରଣ ଭାବରେ ଦେଖିଥିଲି । ସେହିପରି ରସକଲ୍ଲୋଳ ମଧ୍ୟ ଦେଖିଲି । ପ୍ରଥମେ ଛୋଟ ଛୋଟ କେତୋଟି କବିତା ପୂର୍ବ ଧରଣରେ ଲେଖିଥିଲି । ତନ୍ମଧ୍ୟରେ ‘ରସ-ରତ୍ନାକର’ ବଡ଼ ।

Image